ଏହି ବ୍ୟାୟାମରେ କମିବ ରକ୍ତଚାପ !
ଭୁବନେଶ୍ବର: ସୁସ୍ଥ ରହିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମ୍ରେ କସରତ କିମ୍ବା ଟ୍ରେଡମିଲ୍ରେ ଦୌଡ଼ିବା ସବୁବେଳେ ଜରୁରୀ ନୁହେଁ । ବିଶେଷ କରି ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗବେଷଣାରୁ ଜଣାପଡ଼ିଛି, ‘ଆଇସୋମେଟ୍ରିକ୍ ବ୍ୟାୟାମ’ ଜରିଆରେ ମାତ୍ର କିଛି ମିନିଟ୍ ସ୍ଥିର ରହି ଆପଣ ନିଜ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।
କ’ଣ ଏହି ଆଇସୋମେଟ୍ରିକ୍ ବ୍ୟାୟାମ ?
ଆଇସୋମେଟ୍ରିକ୍ ବ୍ୟାୟାମ ହେଉଛି ଏମିତି ଏକ ପ୍ରଣାଳୀ, ଯେଉଁଥିରେ ଶରୀରକୁ ଅଧିକ ହଲାପଟା ନକରି ଏକ ନିର୍ଦ୍ଦିଷ୍ଟ ପୋଜିସନ୍ ବା ସ୍ଥିତିରେ ସ୍ଥିର ରଖିବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, କାନ୍ଥକୁ ଆଉଜି କୁର୍ସିରେ ବସିବା ଭଳି ‘ସ୍କ୍ୱାଟ୍ ପୋଜିସନ୍’ରେ ରହିବା କିମ୍ବା ବସିଥିବା ସମୟରେ ଗୋଡ଼କୁ ସିଧା କରି କିଛି ସମୟ ରଖିବା । ଏହା ମାଂସପେଶୀକୁ ଶକ୍ତ କରିବା ସହ ରକ୍ତ ସଞ୍ଚାଳନରେ ସହାୟକ ହୋଇଥାଏ ।
ମାତ୍ର ୧୪ ମିନିଟ୍ର କମାଲ୍
ଯେଉଁମାନଙ୍କ ପାଖରେ ବ୍ୟାୟାମ ପାଇଁ ଅଧିକ ସମୟ ନାହିଁ, ସେମାନଙ୍କ ପାଇଁ ଏହା ବରଦାନ ସଦୃଶ । ସପ୍ତାହକୁ ମାତ୍ର ୩ ଦିନ ଏବଂ ଦୈନିକ କେବଳ ୧୪ ମିନିଟ୍ର ଗୋଟିଏ ସେସନ୍ କଲେ ଏହାର ସୁଫଳ ମିଳିପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏହା ଶରୀରକୁ ମଜବୁତ କରିବା ସହ ରକ୍ତଚାପ କମାଇବାରେ ଅନ୍ୟ ବ୍ୟାୟାମ ଅପେକ୍ଷା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।
ବଢୁଛି ଶାରୀରିକ ନିଷ୍କ୍ରିୟତା: ଚେତାଇଲା WHO
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ, ସାରା ବିଶ୍ୱରେ ଶାରୀରିକ ପରିଶ୍ରମ କରୁନଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୧୦ ରୁ ୨୦୨୨ ମଧ୍ୟରେ ଏହି ହାର ୫ ପ୍ରତିଶତରୁ ବଢ଼ି ୩୧ ପ୍ରତିଶତରେ ପହଞ୍ଚିଛି । ଏଭଳି ସ୍ଥିତିରେ ଆଇସୋମେଟ୍ରିକ୍ ବ୍ୟାୟାମ ଏକ ସହଜ ଓ ସରଳ ବିକଳ୍ପ ଭାବେ ଉଭା ହୋଇଛି ।
କିଭଳି କରିବେ ଅଭ୍ୟାସ ?
ୱାଲ୍ ସ୍କ୍ୱାଟ୍: କାନ୍ଥ ସାହାଯ୍ୟରେ ପଛକୁ ଆଉଜି ଆଣ୍ଠୁ ଭାଙ୍ଗି ଏମିତି ରହନ୍ତୁ ଯେପରି ଆପଣ ଏକ ଅଦୃଶ୍ୟ ଚେୟାରରେ ବସିଛନ୍ତି ।

ଲେଗ୍ ଏକ୍ସଟେନସନ୍: ଚେୟାରରେ ବସିଥିବା ବେଳେ ପାଦକୁ ମାଟିରୁ ଉପରକୁ ଉଠାଇ ସିଧା ରଖନ୍ତୁ ।

ପ୍ଲାଙ୍କ: ଚଟାଣରେ କହୁଣି ଭରା ଦେଇ ଶରୀରକୁ ସିଧା ଓ ସ୍ଥିର ରଖନ୍ତୁ ।

ଅଧିକ ପରିଶ୍ରମ ନକରି କେବଳ ନିୟମିତ ଭାବେ ଏହି ସ୍ଥିର ବ୍ୟାୟାମ କଲେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।